ନମସ୍ତେ ପ୍ରଭୁ ଜଗନ୍ନାଥ
ନମସ୍ତେ ପ୍ରଭୁ ଜଗନ୍ନାଥ । ଅନାଥ ଲୋକଙ୍କର ନାଥ ॥
ନମସ୍ତେ ପ୍ରଭୁ ବାସୁଦେବ । ଭକତ ଜନଙ୍କ ବାନ୍ଧବ ॥
ନମସ୍ତେ ପ୍ରଭୁ ହୃଷୀକେଶ । ଭକତ ଜନଙ୍କ ବିଶ୍ୱାସ ॥
ନମସ୍ତେ ପ୍ରଭୁ ବିଶ୍ୱରୂପୀ । ସକଳ ହୃଦେ ଅଛ ବ୍ୟାପି॥
ତୁ ସୃଷ୍ଟି ସ୍ଥତି ଲୟ କରୁ । ଆବର ଗର୍ଭରେ ସଂହରୁ ॥
ଅଶେଷ କୋଟି ବସୁନ୍ଧରୀ । ତୋହର ଗର୍ଭେ ଛନ୍ତି ପୁରି ॥
ଚଉଦ ଭୁବନେ ଯା କିଣା । ଏ ସର୍ବ ତୋହର ରଚନା ॥
ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି । ତୋ ବିନୁ ଅନ୍ୟ ଗତି ନାହିଁ ॥
ସୃଷ୍ଟି ତୋହର ଖେଳଘର । ଅଶେଷ ମାୟା ତୋ ଆବର ॥
ତୋହର ନିଶ୍ୱାସ ମରୁତ । ଦେବେ ହୋଇଲେ ତହୁଁ ଜାତ ॥
ତୁହିଟି ଅଗ୍ନି ଦେବ ଇନ୍ଦ୍ର । ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର ॥
ଭୁଜରୁ ଅନନ୍ତ ମୂରତି । କଣ୍ଠରୁ ଜାତ ସରସ୍ୱତୀ ॥
ସଦା ଚଞ୍ଚଳ ନିଦ୍ରା ନାହିଁ । ଏ ରୂପେ ଶୂନ୍ୟେ ଅଛୁ ରହି ॥
ଅଶେଷ ତୋହର ମହିମା । କେ ଜାଣିପାରେ ଗୁଣସୀମା ॥
ତୋ ନାମ କରୁଥିଲେ ଲୟ । କୋଟିଏ ଜନ୍ମ ପାପ କ୍ଷୟ ॥
ନାମ ଘୋଷିଲେ ସର୍ବସିଦ୍ଧି । ଖଣ୍ଡଇ ରୋଗ ଶୋକ ଆଦି ॥
ଆରତ ଭଞ୍ଜନ ତୋ ବାନା । ଆତଙ୍ଗ କାଳେ ବଜ୍ର ସେହ୍ନା ॥
ହୋଇଲୁ ଦଶ ଅବତାର । ନାଶିଲୁ ଅବନୀର ଭାର ।
ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ ॥
ତୁ ଅଟୁ ଦରିଦ୍ରର ଧନ । ତୋ ପାଦେ ରହୁ ମୋର ମନ ॥
ସତୀ ଯୁବତୀଙ୍କର ମନେ । ନିଜର ସ୍ୱାମୀ ଥାନ୍ତି ଯେହ୍ନେ ॥
ସେହି ପ୍ରକାରେ ମୋର ମନ । ତୋ ପାଦେ ରହୁ ଭଗବାନ ॥
କହଇ ଦାସ ଜଗନ୍ନାଥ । କମଳ ଚରଣକୁ ଆଶ ॥